Happy Birthday Bhubaneswar : ଭୁବନେଶ୍ବର ପ୍ରତିଷ୍ଠା ଦିବସର ହାର୍ଦ୍ଦିକ ଅଭିନନ୍ଦନ

Happy Birthday Bhubaneswar : ଭୁବନେଶ୍ବର ପ୍ରତିଷ୍ଠା ଦିବସର ହାର୍ଦ୍ଦିକ ଅଭିନନ୍ଦନ

ଭୁବନେଶ୍ବର,୧୨/୩ : Happy Birthday Bhubaneswar । ଭୁବନେଶ୍ବର ନାଁ ହିଁ ଯଥେଷ୍ଟ । ସ୍ବପ୍ନ ସୃଷ୍ଟି ହୁଏ, ପୂରଣ ହୁଏ, ଅଧା ରୁହେ । ଦିନର ସୂର୍ଯ୍ୟ ଆଲୋକରୁ ରାତିର ଷ୍ଟ୍ରିଟ୍ ଲାଇଟ୍, ପାଲଟେ ସ୍ବପ୍ନ ସାକାର କରିବାର ସଂଘର୍ଷ । ରସୁଲଗଡ଼ର ଷ୍ଟାଚୁ- ମାଷ୍ଟରକ୍ୟାଣ୍ଟିନର ଘୋଡ଼ାଠାରୁ ଆରମ୍ଭ ହୁଏ ଯାତ୍ରା । ପାଲଟନ୍ତି ମୁକସାଖି । ଗାଁରୁ ଦେଖିଥିବା ସ୍ବପ୍ନ ସହରର କୋଳାହଳରେ ଅଜବ ଲାଗେ ।  

ଭୁବନେଶ୍ବର ଏପ୍ରିଲ୍ ୧୩ ତାରିଖ ୧୯୪୮ମସିହାରେ ପ୍ରତିଷ୍ଠା ହୋଇଥିଲା । ବାସ୍ ତା’ପରେ ଆଉ ପଛକୁ ଚାହିଁନି । ଆଗନ୍ତୁକଙ୍କୁ କୋଳେଇ ନେଇ ଜାଗା ଦେଇଛି । କାନ୍ଦ ଦେଇଛି, ହସ ବି ଦେଇଛି । ଶକ୍ତି ଦେଇଛି, ବଳ ବି ଦେଇଛି । ପରାଜୟର ସ୍ବାଦ ଦେଖାଇଛି, ବିଜୟର ଉହ୍ଲାସ ବି ଚଖେଇଛି । ସେଥିପାଇଁ ତ ସେ ଭୁବନେଶ୍ବର । ନାଁ ଯେତିକି ସଫ୍ଟ, ହୃଦୟ ତା’ଠାରୁ ନରମ । ଅପରିଚିତଙ୍କୁ ପରିଚିତ କରାଇଛି, ସାରା ରାଇଜରେ ପରିଚୟ ଦେଇଛି । ସଂଘର୍ଷର ଦିନ ମୁକସାକ୍ଷୀ ପାଲଟିଛି । ସଫଳତାର ଶିଢୀରେ ବସିଲାବେଳେ ସଂଘର୍ଷର ଦିନକୁ ମନେ ପକାଇ ଦେଇଛି । 

ବେଶ୍ କିଛି ପରିବର୍ତ୍ତନ ହୋଇଛି । ଏବେ ସ୍ମାର୍ଟ ସିଟି ଭାବେ ଆକ୍ଷା ପାଇଛି । ରାଜନୀତିର କଡ଼ ବି ଲେଉଟାଉଛି । ଶକ୍ତିହୀନଙ୍କୁ ବଳବାନ କରାଇଛି, ବଳବାନଙ୍କୁ ଶକ୍ତିହୀନ ବି କରାଇଛି । ମନ୍ଦିର ମାଳିନୀ ଭାବେ ଦେଶ ବିଦେଶରେ ପରିଚିତ । ବେଳେ ବେଳେ କ୍ରୀଡ଼ାର ରାଜଧାନୀ ଭାବେ ପରିଚୟ ବି ପାଇଛି । ଭୁବନେଶ୍ବର ବେଶ୍ କିଛି ବଦଳିଛି । ବଡ଼ ବଡ଼ କୋଠା ହେଉଛି, ବଡ଼ ବଡ଼ିଆଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବିଲ୍ଡରଙ୍କୁ ଆକର୍ଷିତ କରୁଛି । ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, ମନୋରଞ୍ଜନ, ବୈଷୟିକ ଜ୍ଞାନ କୌଶଳର ହବ୍ ପାଲଟିଛି । 

ଯୁବକ-ଯୁବତୀଙ୍କ ପ୍ରଥମ ପସନ୍ଦ ଏବେ ଭୁବନେଶ୍ବର । ଶିକ୍ଷା ହେଉ କି ରୋଜଗାର ସବୁଥିରେ ଆଗରେ । ଯିଏ ଥରେ ଆସିଛି ଯିବାକୁ ନାଁ ଧରିନି । ସଂଘର୍ଷ ପରେ ରାଜଧାନୀ ତାକୁ ସଫଳତାର ସ୍ବାଦ ବି ଚଖାଇଛି । ସହରର ସୌନ୍ଦର୍ଯ୍ୟ ବିଭୋର ହୋଇଛନ୍ତି ବିଦେଶୀ । ଦେବ ଦେବ ମହାଦେବ ଲିଙ୍ଗରାଜଙ୍କଠାରୁ ଆରମ୍ଭ କେଦାରଗୌରୀ, ଡାକିଲେ ଓହୋ କରନ୍ତି । ଆମ ଓଡ଼ିଶା ଅପଡେଟ୍ ଟିମ୍ ତରଫରୁ ରାଜଧାନୀ ଭୁବନେଶ୍ବରୁ ଜନ୍ମଦିନର ହାର୍ଦ୍ଦିକ ଅଭିନନ୍ଦନ ।