ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଉତ୍କଳ ଦିବସ ପାଳନ
ଭୁବନେଶ୍ବର,୨୯/୪ : Torontoରେ ଓଡିଶା ସୋସାଇଟି ଅଫ କାନାଡ଼ା ତରଫରୁ ଗତ ଏପ୍ରିଲ ୨୫ତାରିଖରେ ଉତ୍କଳ ଦିବସ ପାଳନ କରାଯାଇଛି । ଏହି ଅବସରରେ କାନାଡାରେ Torontoରେ ଅବସ୍ଥିତ ପ୍ରାୟ ୨୦୦ଓଡ଼ିଆ ପରିବାର ଯୋଗଦାନ କରିଥିଲେ । ଓଡ଼ିଆ ସଂସ୍କୃତିକୁ ଓଡ଼ିଶା ମାଟିରୁ ଅନତି ଦୂରରେ ଜୀବିତ ରଖିବାରେ ଓଡିଶା ସୋସାଇଟି ଅଫ କାନାଡ଼ାର ଏହି ପ୍ରୟାସ ଖୁବ ପ୍ରଶଂସନୀୟ ଥିଲା । ସଭାପତି ବବିତା ମହାନ୍ତି, ଉପସଭାପତି ସୁରେଶ ସାହୁଙ୍କ ସମେତ ସଂସ୍ଥାର ଅନ୍ୟାନ୍ୟ କାର୍ଯ୍ୟକର୍ତା କୁଲଦୀପ ଦାଶ, ସୌମ୍ୟ ରଞ୍ଜନ ସ୍ୱାଇଁ, ସୁଧୀର ସୁରୁ, ରାଜେଶ କୁମାର ସନ୍ଦୂଲୁ , ଅବିନାଶ ବଶା, ପ୍ରଭାତ କୁମାର ସାହୁ, ବନ୍ଦନିକା ମହାପାତ୍ର ସୂଚାରୁ ରୂପେ ପରିବହନ କରିଥିଲେ ।
ଏହି ଅବସରରେ କାନାଡ଼ାରେ ଭାରତ ସରକାରଙ୍କ ତରଫରୁ ଅବସ୍ଥିତ ବାଣିଜ୍ୟ ଦୂତାବାସର ପ୍ରଧାନ ଅଧିକାରୀ ମହାବୀର ସିଂଭି ଉପସ୍ଥିତ ରହି ଉପସ୍ଥିତ ପ୍ରାୟ ୫୦୦ରୁ ଊର୍ଦ୍ଧ୍ବ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରିବା ସହିତ ପରିବେଷଣ କରାଯାଇଥିବା ଓଡ଼ିଆ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟର ଖୁବ ପ୍ରଶଂସା କରିଥିଲେ । ଏଠାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ, ବିଭିନ୍ନ ପ୍ରତିଯୋଗିତା ଛୁଆ ଆଉ ବଡଙ୍କ ଭିତରେ ଖୁବ ଆକର୍ଷଣର ଉତ୍ସା ଥିଲା ।
କାର୍ଯ୍ୟକ୍ରମରେ ପରିବେଷିତ ଓଡ଼ିଶାର ପ୍ରସିଦ୍ଧ ବିଶେଷ ସୁସ୍ୱାଦୁ ବ୍ୟଞ୍ଜନ ଛେନା ପୋଡ଼, ଦହିବରା ଆଳୁ ଦମ, ରସଗୋଲା, ଚାଟ୍ ଉପସ୍ଥିତ ଓଡ଼ିଆ ଏବଂ ଅଣ ଓଡ଼ିଆ ଅତିଥିଙ୍କ ଦ୍ୱାରା ବିଶେଷ ଆଦୃତ ହୋଇଥିଲା । ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟକ୍ରମକୁ ଖୁବ୍ ଉପଭୋଗ କରିଥିଲେ। ସଭାକୁ ସୂଚାରୁ ରୂପେ ବହନ କରିବା ପାଇଁ ଛୋଟରୁ ବଡ଼ ସ୍ୱେଚ୍ଛାସେବକଙ୍କ ଆତୁରତା ଖୁବ ପ୍ରଶଂସନୀୟ ଥିଲା ।

Editor 


